ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିଜକୁ କହନ୍ତି ମୁମ୍ବାଇର ଭାଇଜାନ | ସୋସିଆଲ ମିଡ଼ିଆରେ ଜବରଦସ୍ତ ଦବଦବା | ଇନଷ୍ଟାଗ୍ରାମରେ 56 ଲକ୍ଷରୁ ଅଧିକ ଫଲୋଅର୍ସ, ଫେସବୁକ ରେ ମଧ୍ୟ 41 ଲକ୍ଷରୁ ଅଧିକ ଫଲୋଅର୍ସ | ହେଲେ ନିର୍ବାଚନ ମୈଦାନରେ ଲଜ୍ଜା ଜନକ ପରାଜୟ | ମିଳିଲା ମାତ୍ର 155 ଖଣ୍ଡ ଭୋଟ୍ | ଆମେ କହୁଛୁ ଅଜାଜ ଖାନଙ୍କ କଥା | ସୋସିଆଲ ମିଡ଼ିଆରେ ଥିବା ଫଲୋଅର୍ସ ସଂଖ୍ୟାକୁ ଦେଖି ଏଥର ମହାରାଷ୍ଟ୍ର ନିର୍ବାଚନ ମୈଦାନକୁ ଓହ୍ଲାଇ ଥିଲେ ଅଜାଜ ଖାନ | ମହାରାଷ୍ଟ୍ରର ଭେରସୋଭା ଆସନରୁ ତାଙ୍କୁ ପ୍ରାର୍ଥୀ କରିଥିଲା ଆଜାଦ ସମାଜ ପାର୍ଟି | ହେଲେ ନିର୍ବାଚନରେ ତାଙ୍କୁ ମିଳିଛି ମାତ୍ର 155 ଖଣ୍ଡ ଭୋଟ | ନୋଟା ଠାରୁ ମଧ୍ୟ ତାଙ୍କୁ କମ ଭୋଟ ମିଳିଛି | ଏହାପରେ ତାଙ୍କୁ ନେଇ ସୋସିଆଲ ମିଡ଼ିଆରେ ମଧ୍ୟ ଜୋରଦାର ଚର୍ଚ୍ଚା | ତାଙ୍କୁ ଟ୍ରୋଲ ମଧ୍ୟ କରାଯାଉଛି |
ସେପଟେ ନିଜ ପରାଜୟ ପାଇଁ ସେ EVMକୁ ଦାୟୀ କରିଛନ୍ତି | ତେବେ ଅଜାଜ ଖାନଙ୍କ ଘଟଣା ସୋସିଆଲ ମିଡ଼ିଆ ଇନଫ୍ଲ୍ୟୁଏନସରଙ୍କ ପାଇଁ ଏକ ବଡ଼ ସନ୍ଦେଶ ବୋଲି କୁହାଯାଉଛି | ନିଜ ସୋସିଆଲ ମିଡ଼ିଆର ଫଲୋଅର୍ସ ସଂଖ୍ୟାକୁ ଦେଖି ଲୋକଙ୍କ ମଧ୍ୟରେ ଗ୍ରହଣୀୟତା ଅଛି ବୋଲି ଭାବି ରାଜନୀତିକୁ ଆସୁଥିବା ବ୍ୟକ୍ତି ମାନେ ଏ ଘଟଣାରୁ ଶିଖିବା କଥା ବୋଲି କୁହାଯାଉଛି |