ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେଡି ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଭାଇ ଭବ ପ୍ରକାଶ ଦାସଙ୍କୁ ଗିରଫ କରିଛି ଯାଜପୁର ଟାଉନ ପୁଲିସ | ଯାଜପୁର ବିରଜା ହାଟରେ ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ସହ ମାଡ଼ ମାରିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
ଗତକାଲି ବିଳମ୍ବିତ ରାତିରେ ଭବ ଦାସଙ୍କୁ ଘରୁ ଉଠାଇ ଆଣି ଅଟକ ରଖିଥିଲା ପୁଲିସ। ଆଜି ସକାଳେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ତାଙ୍କୁ ଗିରଫ କରାଯାଇ ଏସ୍ଡିଜେଏମ୍ଙ୍କ ବାସଭବନକୁ ନେଇଛି ପୁଲିସ।
ଭବ ପ୍ରକାଶ ଦାସଙ୍କ ବିରୋଧରେ ଲଗାଯାଇଥିବା ଦଫା ଗୁଡିକ ମଧ୍ୟରୁ ପ୍ରାୟ ସମସ୍ତ ଦଫା ଜାମିନ ଯୁକ୍ତ ହୋଇଥିବା ବେଳେ BNS 303(2) ଅର୍ଥାତ୍ ଚୋରି କରିବା ଜାମିନ ବିହୀନ ଦଫା ହୋଇଥିବାରୁ ତାଙ୍କୁ ଗିରଫ କରାଯିବାର ଆଶଙ୍କା କରାଯାଉଥିଲା।
ଅଭିଯୋଗ ଅନୁସାରେ, ଗୁରୁବାର ସକାଳ ପ୍ରାୟ ୮ଟା ବେଳେ ମା’ ବିରଜା ହାଟକୁ ମଦନ ନାୟକ ନାମକ ଜଣଙ୍କ ପରିବା ବ୍ୟବସାୟୀ ପରିବାପତ୍ର ବିକ୍ରି କରିବାକୁ ଆସିଥିଲେ। ସେ ୧୦ ହଜାର ଟଙ୍କାର ପରିବା ବିକ୍ରି କରିବାକୁ ଆଣିଥିଲେ। ସେହି ସମୟରେ ଭବ ପ୍ରସାଦ ଦାସଙ୍କ ନେତୃତ୍ୱରେ ୫୦ରୁ ଊର୍ଦ୍ଧ୍ୱ ଲୋକ ଆସି ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ତୁରନ୍ତ ପରିବା ଧରି ହାଟରୁ ପଳାଇବାକୁ ସେମାନେ ଧମକ ଦେଇଥିଲେ। କିନ୍ତୁ ସେ ରାଜି ନହେବାରୁ ଭବଙ୍କ ଲୋକମାନେ ତାଙ୍କୁ ମାଡ଼ ମାରିଥିଲେ। ଏହା ସହିତ ସେମାନେ ତାଙ୍କ ପରିବା ନଷ୍ଟ କରି ଦେଇଥିଲେ। ଏମିତିକି ତାଙ୍କ ପକେଟରେ ଥିବା ୧୨,୦୦ ଟଙ୍କା ନେଇ ଯାଇଥିଲେ।
ଭବ ପ୍ରକାଶ ଦାସଙ୍କ ସହିତ ତାଙ୍କ ସହଯୋଗୀ ବଳଭଦ୍ର ଦାସଙ୍କ ସମେତ 48 ଜଣକ ନାଁରେ ମାମଲା ରୁଜୁ କରିଥିଲା ପୁଲିସ। ପରେ ତାଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ଏନେଇ ବବି ଦାସଙ୍କ ର କୌଣସି ପ୍ରତିକ୍ରିୟା ମିଳିନାହିଁ।