ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଦୁଇ ଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ’ ଲୋକସେବା ଭବନ କନ୍ଭେନ୍ସନ ସେଣ୍ଟର୍ରେ ରବିବାର ଠାରୁ ଆରମ୍ଭ ହୋଇଛି। ବିସ୍ମୃତ ଖାଦ୍ୟଶସ୍ୟର ପୁନରୁଦ୍ଧାର ପାଇଁ ଆୟୋଜିତ ଏହି ସମ୍ମିଳନୀରେ ମିଳିତ ଜାତିସଂଘର ପ୍ରତିନିଧି, କୃଷି ବିଜ୍ଞାନୀ, ଗବେଷକ, ବିଶେଷଜ୍ଞ, ବୁଦ୍ଧିଜୀବୀ, ବିଭିନ୍ନ ଜିଲ୍ଲାର କୃଷକ ଓ ଅଗ୍ରଣୀ ମହିଳା ଚାଷୀମାନେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍ଘାଟନ କରି କହିଥିଲେ, ରାଜ୍ୟରେ ମିଲେଟ ଜାତୀୟ ଫସଲର ଉତ୍ପାଦନ ଏବଂ ବ୍ୟବହାରକୁ ବୃଦ୍ଧି କରିବା ସହ ଓଡ଼ିଶାକୁ ଭାରତର ମିଲେଟ ହବ୍ରେ ପରିଣତ କରାଯିବ। ଏଥି ପାଇଁ ଚଳିତ ବର୍ଷ ବଜେଟ୍ରେ ୬୪୯ କୋଟି ଟଙ୍କାର ପ୍ରାବଧାନ କରାଯାଇଛି। ଏହା ସହିତ ମାଣବସା ଗୁରୁବାରରେ ମାଣ୍ଡିଆକୁ ଭୋଗ ଲାଗି କରିବା ପାଇଁ ମୁଖ୍ୟମନ୍ତ୍ରୀ ମା’ମାନଙ୍କୁ ଅନୁରୋଧ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, ପୁଷ୍ଟିଶସ୍ୟର ପ୍ରାଚୀନତା ଏବଂ ଆମ ସଂସ୍କୃତି ଓ ଐତିହ୍ୟ ସହିତ ଏହାର ନିବିଡ଼ତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ‘ଶ୍ରୀ ଅନ୍ନ’ ଭାବେ ନାମିତ କରିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ‘ଶ୍ରୀ ଅନ୍ନ’ ଚାଷ ଆଜି ସାରା ଦେଶରେ ଏକ ବିପ୍ଳବର ରୂପ ନେଇଛି। ଭାରତରେ ପ୍ରାୟ ୧୪ ପ୍ରକାର ପୁଷ୍ଟିଶସ୍ୟ ଶ୍ରୀଅନ୍ନ ଭାବେ ମାନ୍ୟତା ପାଇଛି। ସେଥି ମଧ୍ୟରୁ ବାଜରା, ଜୱାର, ମାଣ୍ଡିଆ ସବୁଠାରୁ ଅଧିକ ଆଦୃତ। ଓଡ଼ିଶାରେ ମାଣ୍ଡିଆ ସବୁଠାରୁ ଅଧିକ ଉତ୍ପାଦନ ହେଉଥିବା ବେଳେ ସୁଆଁ, କାଙ୍ଗୁ, କୋଦ, ଜହ୍ନା ପରି ଅନ୍ୟାନ୍ୟ ପୁଷ୍ଟିଶସ୍ୟ ଫସଲ ମଧ୍ୟ ବହୁଳ ଭାବେ ଚାଷ କରାଯାଉଛି। ଏହିସବୁ ପୁଷ୍ଟିଶସ୍ୟ ଗ୍ଲୁଟେନମୁକ୍ତ, ଅଧିକ ସ୍ନେହସାର, ଆଣ୍ଟି-ଅକ୍ସିଡାଣ୍ଟ ଏବଂ ବହୁତ କମ୍ ଗ୍ଲାଇସେମିକ୍ ସୂଚକାଙ୍କ ଧାରକ ହୋଇଥିବା ଯୋଗୁ ଏହା ମଧୁମେହ ରୋଗ ପ୍ରତିରୋଧ କରିବା ସହିତ ରକ୍ତ ଶର୍କରା ପରିଚାଳନାରେ ମଧ୍ୟ ସାହଯ୍ୟ କରିଥାଏ। ବର୍ତ୍ତମାନ ଆମ ସରକାର ଶ୍ରୀ ଅନ୍ନର ଅଧିକ ଉତ୍ପାଦନ ପାଇଁ ଚାଷୀମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେଉଛନ୍ତି। ଆମକୁ ଏହାକୁ ଲୋକଙ୍କ ଦୈନନ୍ଦିନ ଖାଦ୍ୟ ଶୃଙ୍ଖଳା ମଧ୍ୟରେ ଅନ୍ତର୍ଭୁକ୍ତ କରିବାକୁ ପଡ଼ିବ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ, ଓଡ଼ିଶାରେ ମାଣ୍ଡିଆ ଚାଷକୁ ଆମ ମହିଳା ଚାଷୀମାନେ ଏକ ଆନ୍ଦୋଳନରେ ପରିଣତ କରିଛନ୍ତି। ଓଡ଼ିଶା ମାଣ୍ଡିଆ ଆନ୍ଦୋଳନର ଦୁଇ ପ୍ରମୁଖ ମହିଳା ଚାଷୀ ହେଉଛନ୍ତି କୋରାପୁଟ ଜିଲ୍ଲାର ରାଇମତୀ ଘୁରିଆ ଏବଂ ମୟୂରଭଞ୍ଜ ଜିଲ୍ଲାର ସୁବାଷା ମହନ୍ତ। ସେମାନେ ନିଜ ନିଜ ପ୍ରଚେଷ୍ଟାରେ ଏହାର ଅଭିବୃଦ୍ଧି କରିବା ସହିତ ମାଣ୍ଡିଆ କିପରି ଏକ ଚାଷୀର ଆର୍ଥିକ ଅବସ୍ଥାକୁ ବଦଳେଇ ଦେଇପାରେ ତାକୁ ପ୍ରମାଣ କରିଛନ୍ତି। କାର୍ଯ୍ୟକ୍ରମରେ ବିସ୍ମୃତ ଖାଦ୍ୟର ପୁନରୁଦ୍ଧାର ସମ୍ପର୍କିତ ପୁସ୍ତକ ଉନ୍ମୋଚିତ ହେବା ସହିତ ମିଲେଟ ଉତ୍ପାଦନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ଅର୍ଜନ କରିଥିବା କୋରାପୁଟ, ସୁନ୍ଦରଗଡ ଓ ରାୟଗଡା ଜିଲ୍ଲାପାଳଙ୍କୁ ପୁରସ୍କୃତ କରାଯାଇଥିଲା। ଏଥି ସହିତ ଶ୍ରେଷ୍ଠ ମିଲେଟ୍ ଚାଷୀ ଭାବେ କଳାହାଣ୍ଡିର ସିତାରାମ କରକର୍ଲା, ଗଜପତିର ସାରଙ୍ଗ ସବର, ବଲାଙ୍ଗୀରର ଗୋଲାପ ବିଶି, ବେଷ୍ଟ କଷ୍ଟୋଡିଆନ୍ ଚାଷୀ ଭାବେ ନୂଆପଡ଼ାର ଲିଳାମ୍ବର ମାଝୀ, ସୁନ୍ଦରଗଡର ଜାକ୍ରିଆସ କଣ୍ଡୁଲନା ଓ ସମ୍ବଲପୁରର ଦେବବ୍ରତ ପ୍ରଧାନ, ଶ୍ରେଷ୍ଠ ବିସ୍ମୃତ ଖାଦ୍ୟ ବିଜେତା ଭାବେ କଳାହାଣ୍ଡିର କୌଶଲ୍ୟା ଗୌଡ଼, ବରଗଡ଼ର ରେଣୁକା ଦଂଶନ, ମୟୂରଭଞ୍ଜର ମଞ୍ଜୁଲତା ମହନ୍ତ ଏବଂ ସ୍ବତନ୍ତ୍ର ପୁରସ୍କାର ବିଜେତା ଭାବେ କୋରାପୁଟର ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ, ଆମ ଆଦିବାସୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ବିସ୍ମୃତ ଶସ୍ୟର ଉତ୍ପାଦନ କରି ଏହାକୁ ଖାଦ୍ୟ ରୂପେ ବ୍ୟବହାର କରୁଛନ୍ତି। ଆମେ ଖାଉଥିବା ଖାଦ୍ୟ ଠାରୁ ଏହା ଅଧିକ ପୋଷକ ଓ ଭିଟାମିନଯୁକ୍ତ।
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ କୃଷି ବିବିଧକରଣର ଆବଶ୍ୟକତା ବଢ଼ିଛି ବୋଲି ମତ ଦେଇଥିଲେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ତଥା ଏମ୍ଏସ୍ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ଅଧ୍ୟକ୍ଷ ସୌମ୍ୟା ସ୍ୱାମୀନାଥନ କହିଥିଲେ, ବିଶ୍ୱ ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଥିବା ଦେଶର ଦୁଇଟି କୃଷି ଐତିହ୍ୟସ୍ଥଳ ମଧ୍ୟରେ ଓଡ଼ିଶାର କୋରାପୁଟ ସ୍ଥାନିତ ହୋଇଛି। ଅନ୍ୟଟି କେରଳ। ଓଡିଶାରେ ଶ୍ରୀଅନ୍ନର ଚାଷ ଓ ସଂରକ୍ଷଣ ପାଇଁ ମହିଳା ଚାଷୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନିତି ଆୟୋଗର ସଦସ୍ୟ ପ୍ରଫେସର ରମେଶ ଚାନ୍ଦ କହିଥିଲେ, ମିଲେଟ ଜାତୀୟ ଫସଲ ପ୍ରତି ଲୋକଙ୍କ ଆଗ୍ରହ ବଢ଼ିଛି। ମିଲେଟ ଉଭୟ ଭାରତ ଓ ଆଫ୍ରିକାରେ ଚାଷ ହୋଇଥାଏ। ଆମକୁ ଏହି ଚାଷକୁ ଆଗେଇ ନେବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପଡ଼ିବ। କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିଲେ ଓ କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ଧନ୍ୟବାଦ ଦେଇଥିଲେ।