‘ଆବାସ’ ପଲିଟିକ୍ସ: ସୁରେଶଙ୍କୁ ବିଜେଡିର କଡା ଜବାବ, ‘ବୟାନବାଜୀ ନୁହଁ ତଦନ୍ତ କର’

ଭୁବନେଶ୍ୱର,୨୮/୧୦(ସତ୍ୟପାଠ ବ୍ୟୁରୋ):  ବାତ୍ୟା ଦାନା ଯିବାପରେ ଏବେ ପ୍ରଧାନମନ୍ତ୍ରୀ ଆବାସ ଘର କୁ ନେଇ ରାଜ୍ୟରେ ଆରମ୍ଭ ହୋଇଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । ନବୀନ ସରକାର ଅମଳରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ବିଜେପି ଅଭିଯୋଗ କରିଥିବା ବେଳେ ତଦନ୍ତ ପାଇଁ ଆହ୍ୱାନ ଦେଇଛି ବିଜେଡି । ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବାତ୍ୟା ପ୍ରଭାବିତ ଅଂଚଳର ଲୋକଙ୍କୁ ପକ୍କା ଘର ଦିଆଯାଇଥିଲେ ପ୍ରତି ବର୍ଷ ଏତେ ସଂଖ୍ୟାରେ ଘର କ୍ଷତିଗ୍ରସ୍ତ ହେଉଛି କାହିଁକି ? ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ରାଜ୍ୟର ନିଜସ୍ୱ ଯୋଜନା ଥିବା ସତ୍ୱେ ଏତେ ସଂଖ୍ୟକ କଚ୍ଚା ଘର ଆସୁଛି କେଉଁଠୁ ? ପୂର୍ବ ସରକାର କେତେ ଘର କାହାକୁ ଦେଇଛନ୍ତି ସେନେଇ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯାଇଛି । ଏଥିସହିତ ଯେପରି ଆଗକୁ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ଆଉ ଘର ଭାଙ୍ଗିବନି, ସେନେଇ ଆମ ସରକାର ଦୀର୍ଘ ମିଆଦି ପଦକ୍ଷେପ ନେବାକୁ ଯାଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ସେପଟେ ସୁରେଶ ପୂଜାରୀଙ୍କ ଏହି ମନ୍ତବ୍ୟ ପରେ ଏହାର କଡା କାଉଣ୍ଟର କରିଛି ବିଜେଡି । ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, ନବୀନ ସରକାରରେ ଆବାସ ଯୋଜନାରେ କୌଣସି ଦୁର୍ନୀତି ହୋଇନି । ବିଜେପି ସାଂସଦ ମାନେ କେନ୍ଦ୍ରରେ ଅଭିଯୋଗ କରି ୩ ବର୍ଷ ପାଇଁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ ବନ୍ଦ କରାଇ ଦେଇଥିଲେ । ଏବେ ବୟାନବାଜୀ ନକରି ଲୋକଙ୍କୁ କିଭଳି ଘର ମିଳିବ ସେନେଇ ରାଜସ୍ବମନ୍ତ୍ରୀ ଧ୍ୟାନ ଦିଅନ୍ତୁ ବୋଲି ସେ କହିଛନ୍ତି  ।

ସେପଟେ ଆବାସ ଦୁର୍ନୀତିର ତଦନ୍ତକୁ ସ୍ୱାଗତ କରିଛନ୍ତି ବରିଷ୍ଠ ବିଜେଡି ନେତା ସୁଧୀର ସାମଲ । ରାଜସ୍ବମନ୍ତ୍ରୀ କେବଳ ବୟାନବାଜୀରେ ସୀମିତ ନରହି, ଯଦି ଅନିୟମିତତା ହୋଇଛି ତାହେଲେ ତଦନ୍ତ କରି ସାମ୍ନାକୁ ଅଣାନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି ।

ତେବେ ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ବିଜେଡିର ଅନେକ ଦୁର୍ନୀତିର ତଦନ୍ତ ହେବ ବୋଲି ମନ୍ତ୍ରୀ ମାନେ ଖାଲି ମିଡ଼ିଆରେ ବୟାନ ଦେଉଛନ୍ତି । ହେଲେ କୌଣସି ଗୋଟିଏ ତଦନ୍ତର ରିପୋର୍ଟ ସାମ୍ନାକୁ ଆସି ଏଯାଏଁ କାର୍ଯ୍ୟାନୁଷ୍ଠାନ ହେଲାନାହିଁ । ଏଭଳି ସ୍ଥିତିରେ ସୁରେଶ ପୂଜାରୀ କହୁଥିବା ଆବାସ ଦୁର୍ନୀତିର ବାସ୍ତବ ସତ ସାମ୍ନାକୁ ଆସୁଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା ।

Related Posts