କୋଲକାତା ଲଜ୍ଜା: ମମତା ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାର ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ | ଶୁଣାଣି ସମୟରେ ମମତା ସରକାର ଓ ପଶ୍ଚିମବଙ୍ଗ ପୋଲିସ ଉପରେ ପ୍ରବଳ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ । ଏଥି ସହିତ ଏହି ମାମଲାରେ ସିବିଆଇକୁ ଷ୍ଟାଟସ୍ ରିପୋର୍ଟ ତଲବ କରିଛନ୍ତି । ଗୁରୁବାର ସୁଦ୍ଧା ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ମାମଲାରେ ବହୁ ବିଳମ୍ବରେ କାହିଁକି FIR କରାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ।

ଦୁଷ୍କର୍ମ ଓ ହତ୍ୟା ପରେ କ୍ରାଇମ ସିନ୍‌କୁ କାହିଁକି ସୁରକ୍ଷିତ ରଖାଗଲାନାହିଁ ବୋଲି ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ ଉଠାଇଛନ୍ତି । ସେହିପରି ହଜାର ହଜାର ସଂଖ୍ୟାରେ ଲୋକ ମେଡିକାଲରେ ପଶିଥିଲେ ବି ପୋଲିସ କ’ଣ କରୁଥିଲା ବୋଲି ଖଣ୍ଡପୀଠ ପଚାରିଛନ୍ତି । ମୃତ୍ୟୁକୁ ଆତ୍ମହତ୍ୟାର ରୂପଦେବା ପ୍ରଚେଷ୍ଟାକୁ ନେଇ ବି ପ୍ରଶ୍ନ କରିଛନ୍ତି କୋର୍ଟ। ପୀଡ଼ିତାଙ୍କ ପରିବାରକୁ ବିଳମ୍ବରେ ଶବ କାହିଁକି ଦେଖାଗଲା ବୋଲି ମଧ୍ୟ ସୁପ୍ରିମକୋର୍ଟ ପଚାରିଚନ୍ତି । ପୀଡ଼ିତାଙ୍କ ନାଁ, ଫଟୋ ଭାଇରାଲକୁ ନେଇ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ଆଦାଲତ ।

ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି DY ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ଦୁଷ୍କର୍ମ ଓ ହତ୍ୟା ବ୍ୟତୀତ ଏହା ସମଗ୍ର ଦେଶରେ ଡାକ୍ତରଙ୍କ ସୁରକ୍ଷାର ବିଷୟ। ଡାକ୍ତର, ବିଶେଷ କରି ମହିଳା ଡାକ୍ତର ଓ ଯୁବ ଡାକ୍ତରଙ୍କ ସୁରକ୍ଷାକୁ ନେଇ ଆମେ ଚିନ୍ତିତ। ସୋଶାଲ ମିଡିଆରେ ପୀଡିତାଙ୍କ ଫଟୋ, ପରିଚୟ ପୋଷ୍ଟମର୍ଟମ ପରେ ପୀଡିତାଙ୍କ ଶରୀରର ଫଟୋ ଦେଖାଇବା ବେଶ୍‌ ଉଦ୍‌ବେଗ ଜନକ।

ସେପଟେ ଏହି ମାମଲାକୁ ନେଇ ପଶ୍ଚିମବଙ୍ଗ ସରକାର ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ମେଡିକାଲ କଲେଜ ଅଧ୍ୟକ୍ଷଙ୍କ ଭୂମିକାକୁ ନେଇ ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି। ହତ୍ୟାକୁ ଆତ୍ମହତ୍ୟା ରୂପ ଦିଆଯିବାକୁ ଚେଷ୍ଟା କରାଯାଇଥିଲା କି? ପୀଡିତାଙ୍କ ବାପା-ମା’ଙ୍କୁ କାହିଁକି ବିଳମ୍ବରେ ସୂଚନା ଦିଆଗଲା। ସେମାନଙ୍କୁ କାହିଁକି ସାକ୍ଷାତ କରିବାକୁ ଅନୁମତି ଦିଆଗଲା ନାହିଁ। ପ୍ରିନ୍ସିପାଲ୍ କ’ଣ କରୁଥିଲେ? FIR ଦାଖଲ କରିବାରେ କାହିଁକି ବିଳମ୍ବ ହେଲା? ପୀଡିତାଙ୍କ ଶବ ସତ୍କାର ପରେ କାହିଁକି ଏଫ୍ଆଇଆର୍‌ ରୁଜୁ କରାଗଲା ବୋଲି ସିଜେଆଇ ପଶ୍ଚିମବଙ୍ଗ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ଅନ୍ୟପଟେ ଡାକ୍ତରମାନଙ୍କୁ ଆନ୍ଦୋଳନରୁ ଓହରିବା ପାଇଁ ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ହସ୍ପିଟାଲ ୨୪ ଘଣ୍ଟିଆ ଖୋଲାଥିବା ଓ ଡାକ୍ତର ଡ୍ୟୁଟି କରୁଥିବାରୁ ସୁରକ୍ଷା ଜରୁରୀ ବୋଲି ସିଜେଇ କହିଛନ୍ତି। ଏଥିଲାଗି ଡାକ୍ତରଙ୍କ ସୁରକ୍ଷା ପାଇଁ ଟାସ୍କଫୋର୍ସ ଗଠନ କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏହି ଟାସ୍କଫୋର୍ସ ସିନିଅର ଓ ଜୁନିଅର ଡାକ୍ତରଙ୍କ ସୁରକ୍ଷା ପାଇଁ ସାରା ଦେଶରେ କି କାର୍ଯ୍ୟପନ୍ଥା ହେବ ସେ ନେଇ ପରାମର୍ଶ ଦେବ। ଆସନ୍ତା ୨୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Related Posts