
(ସତ୍ୟପାଠ ବ୍ୟୁରୋ): ହାଇଦ୍ରାବାଦର ଶାଦନଗରରେ ପଶୁ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ 4 ଅଭିଯୁକ୍ତଙ୍କୁ ତେଲଙ୍ଗାନା ପୋଲିସର ଏନ୍କାଉଣ୍ଟର । ରାତି ପ୍ରାୟ 3ଟା ସମୟରେ ସଂପୃକ୍ତ ୪ ଜଣଙ୍କୁ ଏନ୍କାଉଣ୍ଟର କରି ପୋଲିସ ନିହତ କରିଥିବା ସୂଚନା ମିଳିଛି । ଏହା ପରେ ସାରା ଦେଶରୁ ତେଲଙ୍ଗାନା ପୋଲିସକୁ ମିଳୁଛି ସାବାସି ।
ସୂଚନା ଅନୁସାରେ ପୋଲିସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବା ପରେ 4 ଅଭିଯୁକ୍ତ ଶିବା, ନବୀନ, କେଶବୁଲ ଓ ମହମ୍ମଦ ଆରିଫଙ୍କୁ ଘଟଣାସ୍ଥଳକୁ ନେଇଥିଲା । ସେଠାରେ ‘Scene of Crime’ Recreation’ର ଯାଞ୍ଚ କରୁଥିବା ସମୟରେ ଜଣେ ଅଭିଯୁକ୍ତ ପୋଲିସର ବନ୍ଧୁକ ଧରି ଖସିଯିବାକୁ ଉଦ୍ୟମ କରିଥିଲା । ଏହା ପରେ ପୋଲିସ ପକ୍ଷରୁ ଏନ୍କାଉଣ୍ଟର କରାଯାଇ ସମସ୍ତଙ୍କ 4 ଅଭିଯୁକ୍ତଙ୍କୁ ନିହତ କରାଯାଇଥିଲା ।
ପୋଲିସର କହିବା କଥା ଯଦି ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର କରାଯାଇ ନଥାନ୍ତା, ସେମାନେ ଯଦି ଖସି ଯିବାରେ ସକ୍ଷମ ହୋଇଥାନ୍ତେ ତେବେ ଲୋକମାନେ ଦେଶ ସାରା ହଙ୍ଗାମା କରିବାର ସମ୍ଭାବନା ଥିବାରୁ ତାଙ୍କୁ ଏନ୍କାଉଣ୍ଟର କରିବା ଛଡ଼ା ପୋଲିସ ପାଖରେ ଆଉ କିଛି ଉପାୟ ନଥିଲା ।
ହାଇଦ୍ରାବାଦର ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ପୋଡ଼ି ହତ୍ୟା ଘଟଣା ନେଇ ସାରା ଦେଶରେ ଉତ୍ତେଜନା, ପ୍ରଦର୍ଶନ ହୋଇଥିଲା । ଚାରି ଜଣ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଉ ବୋଲି ଦାବି ହୋଇଆସୁଥିଲା । କିନ୍ତୁ ଆଜି ଅଭିଯୁକ୍ତଙ୍କୁ ପୋଲିସର ଏନ୍କାଉଣ୍ଟର ପରେ ତେଲଙ୍ଗାନା ପୋଲିସକୁ ସାରା ଦେଶରୁ ପ୍ରଶଂସା ମିଳୁଛି । ବଲିଉଡ କଳାକାର ଅନୁପମ ଖେର, ଋଷି କାପୁର ଭଳି ବରିଷ୍ଠ କଳାକାର ତେଲଙ୍ଗାନା ପୋଲିସକୁ ସାବାସି ଜଣାଇଛନ୍ତି ।