
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ମହାମାରୀର ଦ୍ୱିତୀୟ ଲହରୀରେ ସ୍ଥିତି ଦିନକୁ ଦିନ ସଂକଟାପର୍ଣ୍ଣ ହେଉଥିବା ବେଳେ ପ୍ରମୁଖ ଘରୋଇ ସଂସ୍ଥା ଗୁଡିକ ଏହାର ମୁକାବିଲା କରିବା ପାଇଁ ଆଗେଇ ଆସିବା ଖୁସିର ବିଷୟ | ଏହି ମର୍ମରେ ଗତକାଲି ରିଲାଏନସ ,ଟାଟା ଭଳି କର୍ପୋରେଟ ସଂସ୍ଥାମାନେ କୋଭିଡ ଚିକିତ୍ସାଳୟ କରିବା ପାଇଁ ସହାୟତାର ହାତ ବଢ଼ିଥିବାବେଳେ ବେଦାନ୍ତ ମଧ୍ୟ କରୋନାର ଦ୍ବିତୀୟ ଲହର ମୁକାବିଲା ପାଇଁ ୧୫୦ କୋଟି ଟଙ୍କା ସହାୟତା ଦେବ ବୋଲି ଘୋଷଣା କରିଛି । ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଛନ୍ତି ବେଦାନ୍ତ ଗତବର୍ଷ କରୋନା ସମୟରେ ୨୦୧ କୋଟି ଟଙ୍କା ସହାୟତା ଦେଇଥିଲା, ଚଳିତ ବର୍ଷ ୧୫୦ କୋଟି ଯୋଗାଇ ଦେବ | ଏବଂ ବେଦାନ୍ତ ଦେଶର ୧୦ଟି ସହରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରୟାସକୁ ଆଗକୁ ନେବା ପାଇଁ ଅତିରିକ୍ତ ୧୦୦୦ କ୍ରିଟିକାଲ କେୟାର ଶଯ୍ୟା ସ୍ଥାପନ କରାଯିବ । ଏଗୁଡ଼ିକ ଅତ୍ୟାଧୁନିକ ପ୍ରଣାଳୀରେ ସ୍ଥାପନ କରାଯିବ । ପରେ ପ୍ରତ୍ୟେକ କେନ୍ଦ୍ରରେ ୧୦୦ଟି ଲେଖାଏଁ ଶଯ୍ୟା ସହ ପ୍ରତିଷ୍ଠିତ ଚିକିତ୍ସାଳୟ ମାଧ୍ୟମରେ ସଂଯୋଗ କରାଯଇପାରିବ । ଏହି କେନ୍ଦ୍ରରେ ୧୦ଟି ଶଯ୍ୟାରେ ଭେଣ୍ଟିଲେଟର ସହ ବାକି ୯୦ଟି ଶଯ୍ୟାରେ ଅମ୍ଳଜାନ ସୁବିଧା ଉପଲବ୍ଧ କରାଯିବ | ଆଗାମୀ ଏକ ମାସ ଭିତରେ କମ୍ପାନି ଏହି ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଓଡ଼ିଶା ସହ ଛତିଶଗଡ଼, ଦିଲ୍ଲୀ, ରାଜସ୍ଥାନ, ଝାଡ଼ଖଣ୍ଡ, ଗୋଆ ଓ କର୍ଣ୍ଣାଟକରେ ଖୁବ ଶୀଘ୍ର କମ୍ପାନୀ ଏହାର କ୍ରିଟିକାଲ କେୟାର ବେଡ୍ ସ୍ଥାପନ କରିବ । ସରକାରୀ ସଂସ୍ଥା ଏବଂ ସ୍ଥାନୀୟ ପ୍ରଶାସନ ସହ ମିଶି ଚିକିତ୍ସାଳୟରେ ଚିକିତ୍ସା ଓ ଅନ୍ୟାନ୍ୟ ସୁବିଧା ଆବଶ୍ୟକ କରୁଥିବା ଅସହାୟ ଜନସାଧାରଣଙ୍କୁ ସାହାଯ୍ୟ କରିବା ପାଇଁ କମ୍ପାନି କାର୍ଯ୍ୟ କରିବ । ଏବଂ ଏହାର କାରଖାନା ପାଖାପାଖି ସ୍ଥାନରେ ଏବେ କରୋନା ରୋଗୀଙ୍କ ପାଇଁ ପ୍ରାୟ ୭୦୦ ଶଯ୍ୟା ସ୍ଥାପନ କରାଯାଇଛି । ଆଗକୁ ଏହାକୁ ୧୦୦୦ କୁ ବୃଦ୍ଧି କରିବାର ଲକ୍ଷ ରଖାଯାଇଛି । ବେଦାନ୍ତର ଗ୍ରୁପ୍ କମ୍ପାନି ହିନ୍ଦୁସ୍ତାନ ଜିଙ୍କ୍ ଲିମିଟେଡ, ଇଏସଏଲ ଏବଂ ସେସା ଗୋଆ ଆଇରନ୍ ଓର୍ ବିଜ୍ନେସ୍ ତରଫରୁ ସଂକ୍ରମିତ ରୋଗୀକୁ ଅମ୍ଳଜାନ ଯୋଗାଇ ଦେବାପାଇଁ ପଦକ୍ଷେପ ନିଆଯାଇଛି । ଏବେ ଦିନକୁ ହିନ୍ଦୁସ୍ତାନ ଜିଙ୍କ ଲିମିଟେଡ ୫ ଟନ ଅମ୍ଳଜାନ ଯୋଗାଇ ଦେଉଛି | ଆଗକୁ ଏହାକୁ ବଢ଼ାଇ ୨ରୁ ୩ ଟନ୍ ଅଧିକ ପାଇଁ ଦେବା କାମ ଚାଲୁରହିଛି । ଗୋଆ ସରକାର ଏବଂ ଡାକ୍ତରଖାନାଗୁଡ଼ିକୁ ସେସା ଗୋଆ ଆଇରନ୍ ଓର୍ ବିଜନେସ୍ ଦିନକୁ ୩ଟନ୍ ଅମ୍ଳଜାନ ପ୍ରଦାନ କରୁଛି । ଏବଂ ବେଦାନ୍ତ ‘ଡକ୍ଟର ଅନ୍ କଲ୍’ ସୁବିଧା ଆରମ୍ଭ କରିଛି |